ଦାରିଙ୍ଗବାଡ଼ି, ୦୧/୦୪/୨୦୨୬ (ମାଥିଉ ମୁଠାମାଝୀ): ଆଜିର ଆଧୁନିକ ଯୁଗରେ ବିଜୁଳି ସେବା ଏକ ସାଧାରଣ ଆବଶ୍ୟକତା। କିନ୍ତୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଗାନ୍ଦାରିଗୁଡ଼ି ଗ୍ରାମବାସୀଙ୍କ ପାଇଁ ଏହା ଏବେ ବି ଏକ ସ୍ୱପ୍ନ। ଦୀର୍ଘ ଦିନ ହେବ ଗାଁରେ ବିଦ୍ୟୁତ୍ ଖୁଣ୍ଟି ପୋତା ଯାଇଛି, କିନ୍ତୁ ସେଥିରେ ତାର ଟଣା ଯାଇନାହିଁ। ଫଳରେ ୬୦ରୁ ଅଧିକ ପରିବାର ଅନ୍ଧାରରେ ଜୀବନ କାଟୁଛନ୍ତି। 
ବିକାଶ ନା ପ୍ରହସନ? ୭ ମାସ ହେଲା ବିଜୁଳିକୁ ଚାହିଁଛନ୍ତି ଗାନ୍ଦାରିଗୁଡ଼ି ଗ୍ରାମବାସୀ


ଅଧାପନ୍ତରିଆ କାମ, ବଢୁଛି ଅସନ୍ତୋଷ

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୭ ମାସ ତଳେ ଗାଁରେ ବିଦ୍ୟୁତ୍ ଖୁଣ୍ଟି ଲଗାଯାଇଥିଲା। ଲୋକେ ଆଶା କରିଥିଲେ ଯେ ସେମାନଙ୍କ ଘରକୁ ଆଲୁଅ ଆସିବ। କିନ୍ତୁ କାମ ଅଧାରୁ ବନ୍ଦ ହୋଇଗଲା। ଏବେ ଖୁଣ୍ଟିଗୁଡ଼ିକ କେବଳ ମୂକସାକ୍ଷୀ ସାଜି ଠିଆ ହୋଇଛି। ସନ୍ଧ୍ୟା ହେଲେ ଗାଁରେ ଅନ୍ଧାର ଘୋଟି ଆସୁଛି। ପିଲାମାନେ ଡିବିରି କିମ୍ବା ମହମବତୀ ଆଲୁଅରେ ପାଠ ପଢୁଛନ୍ତି।

ସରକାରୀ କାଗଜପତ୍ର ଓ ବାସ୍ତବତା

ଆଶ୍ଚର୍ଯ୍ୟର କଥା ଯେ, ସରକାରୀ ରେକର୍ଡରେ ଏହି ଗାଁକୁ ବିଦ୍ୟୁତୀକରଣ କରାଯାଇଥିବା ଦର୍ଶାଯାଉଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଏହା ଠିକାଦାରଙ୍କ ଅବହେଳା ନା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଗରିବ ଆଦିବାସୀ ପରିବାରଙ୍କ ସହ ଏହି ଲୁଚକାଳି ଖେଳ କେବେ ବନ୍ଦ ହେବ, ତାହା ଦେଖିବାକୁ ବାକି ରହିଲା।

ଗ୍ରାମବାସୀଙ୍କ ଚେତାବନୀ

ଗ୍ରାମର ଧର୍ମେନ୍ଦ୍ର ସୁନାମାଝି, କାଳେନ୍ଦ୍ର ମାଝୀ ଓ ଜୟ କାର୍ଜିମାଝିଙ୍କ ସମେତ ଅନ୍ୟ ସଦସ୍ୟମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ତୁରନ୍ତ ତାର ଟଣାଯାଇ ବିଦ୍ୟୁତ୍ ସଂଯୋଗ ଦିଆନଯାଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।